< ପ୍ରକାଶିତ 15 >

1 ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ। 2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। 3 ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ। 4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।” 5 ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା, 6 ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ। 7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn g165) 8 ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

< ପ୍ରକାଶିତ 15 >