< ଗୀତସଂହିତା 77 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍‍‍ର ରୀତି ଅନୁସାରେ ଆସଫର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ। 2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା। 3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। (ସେଲା) 4 ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ। 5 ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି। 6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା। 7 “ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ? ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ? 8 ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ? 9 ପରମେଶ୍ୱର କʼଣ କୃପାମୟ ହେବାକୁ ପାସୋରିଅଛନ୍ତି? ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି?” (ସେଲା) 10 ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା; ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।” 11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି। 12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି। 13 ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ; ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ? 14 ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ। 15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ। 16 ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା, ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି କମ୍ପିତ ହେଲା। 17 ମେଘମାଳ ଜଳ ବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା। 18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା; ବିଜୁଳି ଜଗତକୁ ଆଲୁଅମୟ କଲା; ପୃଥିବୀ କମ୍ପିତ ଓ ଥରହର ହେଲା। 19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା। 20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

< ଗୀତସଂହିତା 77 >