< ଗୀତସଂହିତା 7 >

1 ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ। ହେ ସଦାପ୍ରଭୋ ମୋʼ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର, 2 ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ। 3 ହେ ସଦାପ୍ରଭୋ ମୋହର ପରମେଶ୍ୱର, ଯଦି ମୁଁ ଏହା କରିଥାଏ, ଯଦି ମୋʼ ହସ୍ତରେ ଅଧର୍ମ ଥାଏ; 4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି); 5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି, ମୋʼ ଗୌରବକୁ ଧୂଳିସାତ୍‍ କରୁ। (ସେଲା) 6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟବିଚାର କର। 7 ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର। 8 ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର। 9 ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି। 10 ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି। 11 ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର। 12 ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ୍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି। 13 ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି। 14 ଦେଖ, ସେ ଅଧର୍ମରୂପ ପ୍ରସବବେଦନାରେ ଆକ୍ରାନ୍ତ ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା। 15 ସେ କୂପ ଖୋଳି ଗଭୀର କରିଅଛି, ପୁଣି, ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି। 16 ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ। 17 ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।

< ଗୀତସଂହିତା 7 >