< ଗୀତସଂହିତା 49 >

1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ, 2 ନୀଚ ଓ ଉଚ୍ଚ, ଧନୀ ଓ ଦରିଦ୍ର ସମସ୍ତେ, ଏକତ୍ର କର୍ଣ୍ଣପାତ କର। 3 ମୋହର ମୁଖ ଜ୍ଞାନର କଥା କହିବ ଓ ମୋʼ ଅନ୍ତଃକରଣର ଧ୍ୟାନ ବୁଦ୍ଧି ବିଷୟକ ହେବ। 4 ମୁଁ ଦୃଷ୍ଟାନ୍ତରେ କର୍ଣ୍ଣପାତ କରିବି; ମୁଁ ବୀଣା ଯନ୍ତ୍ରରେ ଆପଣା ଗୁପ୍ତ ବିଷୟ ବ୍ୟାଖ୍ୟା କରିବି। 5 ଯେତେବେଳେ ଅଧର୍ମ ମୋʼ ଗୋଇଠି ପାଖରେ ମୋତେ ଘେରେ, ଏପରି ବିପଦ ସମୟରେ କାହିଁକି ଭୟ କରିବି? 6 ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି; 7 ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ ମୁକ୍ତ କରି ନ ପାରେ। 8 କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ ଦେଇ ନ ପାରେ; 9 କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ ଅନନ୍ତକାଳ ଅସାଧ୍ୟ। 10 ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ ମରନ୍ତି, ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯାʼନ୍ତି। 11 ସେମାନଙ୍କ କବର ସ୍ଥାନ ଯେ ଚିରକାଳ ଓ ସେମାନଙ୍କ ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର ଆନ୍ତରିକ ବିଚାର; ସେମାନେ ଆପଣା ଆପଣା ନାମାନୁସାରେ ଆପଣା ଆପଣା ଭୂମିର ନାମ ରଖନ୍ତି। 12 ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ; ସେ ବିନାଶ୍ୟ ପଶୁ ତୁଲ୍ୟ। 13 ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ; ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ କଥା ପସନ୍ଦ କରନ୍ତି। (ସେଲା) 14 ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ; ମୃତ୍ୟୁୁ ସେମାନଙ୍କର ପାଳକ ହେବ; ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ; ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ। (Sheol h7585) 15 ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର ପ୍ରାଣ ମୁକ୍ତ କରିବେ; କାରଣ ସେ ମୋତେ ଗ୍ରହଣ କରିବେ। (ସେଲା) (Sheol h7585) 16 କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଲେ, ତୁମ୍ଭେ ଭୀତ ହୁଅ ନାହିଁ; 17 କାରଣ ମରଣକାଳରେ ସେ କିଛି ନେଇଯିବ ନାହିଁ; ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାଦ୍‍ଗମନ କରିବ ନାହିଁ। 18 ଯଦ୍ୟପି ସେ ଜୀବଦ୍ଦଶାରେ ଆପଣା ପ୍ରାଣର ଧନ୍ୟବାଦ କଲା, ଆଉ, ତୁମ୍ଭେ ଆପଣାର ଭଲ କଲେ, ଲୋକେ ତୁମ୍ଭର ପ୍ରଶଂସା କରନ୍ତି; 19 ତଥାପି ସେ ଆପଣା ପୂର୍ବପୁରୁଷଗଣ ନିକଟକୁ ଯିବ; ସେମାନେ କଦାପି ଦୀପ୍ତି ଦେଖିବେ ନାହିଁ। 20 ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ କରେ, ସେ ବିନାଶ୍ୟ ପଶୁ ତୁଲ୍ୟ।

< ଗୀତସଂହିତା 49 >