< ଗୀତସଂହିତା 48 >

1 ଗୀତ: କୋରହ-ସନ୍ତାନମାନଙ୍କର ଗୀତ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ। 2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର। 3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି। 4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ ଏକ ସଙ୍ଗେ ଗମନ କଲେ। 5 ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ; 6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ। 7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶ ନଗରର ଜାହାଜସବୁ ଭାଙ୍ଗିଥାଅ। 8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। (ସେଲା) 9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ। 10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ। 11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ। 12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର। 13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର। 14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।

< ଗୀତସଂହିତା 48 >