< ଗୀତସଂହିତା 40 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ। 2 ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ। 3 ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ। 4 ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି, ଅହଙ୍କାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ। 5 ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭର କୃତ ଆଶ୍ଚର୍ଯ୍ୟକର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ। 6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। 7 ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। 8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।” 9 ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ। 10 ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ; ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ। 11 ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ। 12 କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି। 13 ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ। 14 ମୋʼ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ। 15 ଯେଉଁମାନେ ମୋତେ “ହଁ ହଁ” ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ। 16 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, “ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।” 17 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।

< ଗୀତସଂହିତା 40 >