< ଗୀତସଂହିତା 29 >

1 ଦାଉଦଙ୍କର ଗୀତ। ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର। 2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର। 3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ। 4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ। 5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି। 6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି। 7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ। 8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି। 9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ “ଗୌରବ, ଗୌରବ” ବୋଲି କହନ୍ତି। 10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି। 11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।

< ଗୀତସଂହିତା 29 >