< ଗୀତସଂହିତା 27 >

1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋʼ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି? 2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ। 3 ସୈନ୍ୟଦଳ ମୋʼ ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ; ଯଦି ଯୁଦ୍ଧ ମୋʼ ବିରୁଦ୍ଧରେ ଉଠେ, ତେବେ ମଧ୍ୟ ମୁଁ ସାହସିକ ହେବି। 4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। 5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ। 6 ଏଣୁ ଏବେ ମୋʼ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 7 ହେ ସଦାପ୍ରଭୋ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; ମୋʼ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ। 8 ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,” ମୋʼ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୋ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।” 9 ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ। 10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। 11 ହେ ସଦାପ୍ରଭୋ, ମୋହର ଶତ୍ରୁଗଣ ସକାଶୁ ମୋତେ ତୁମ୍ଭର ମାର୍ଗ ଶିଖାଅ; ଓ ସରଳ ପଥରେ ମୋତେ କଢ଼ାଇ ନିଅ। 12 ମୋʼ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ; କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ ମାରିବା ଲୋକେ ମୋʼ ବିରୁଦ୍ଧରେ ଉଠିଅଛନ୍ତି। 13 ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି। 14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

< ଗୀତସଂହିତା 27 >