< ହିତୋପଦେଶ 5 >

1 ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର; 2 ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରି ପାରିବ। 3 ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ। 4 କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ। 5 ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ; ତାହାର ପାଦ ସିଧା କବରରେ ପଡ଼େ; (Sheol h7585) 6 ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ; ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ। 7 ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। 8 ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହର ଦ୍ୱାର ନିକଟକୁ ଯାଅ ନାହିଁ। 9 କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ; 10 କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ; 11 ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ, ତୁମ୍ଭେ କେଜାଣି ବିଳାପ କରିବ, 12 ଆଉ କହିବ, “ମୁଁ ଉପଦେଶ କିପରି ଘୃଣା କଲି! ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା! 13 ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ, ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ, 14 ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି।” 15 ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର। 16 ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ? 17 ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। 18 ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର। 19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 20 ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? 21 ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। 22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ। 23 ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ।

< ହିତୋପଦେଶ 5 >