< ଯୂନସ 3 >

1 ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା; 2 “ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।” 3 ତହିଁରେ ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। 4 ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।” 5 ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। 6 ଏଥିଉତ୍ତାରେ ଏହିସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ। 7 ପୁଣି, ରାଜାର ଓ ଅଧ୍ୟକ୍ଷମାନଙ୍କର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ; 8 ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ। 9 କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।” 10 ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।

< ଯୂନସ 3 >