< ଏଜ୍ରା 6 >

1 ସେତେବେଳେ ଦାରୀୟାବସ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା। 2 ପୁଣି, ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ନାମକ ରାଜଗୃହରେ ଏକ ନଳାକାର ପୁସ୍ତକ ପ୍ରାପ୍ତ ହେଲା, ତହିଁ ମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା। 3 “କୋରସ୍‍ ରାଜାଙ୍କ ରାଜତ୍ଵର ପ୍ରଥମ ବର୍ଷରେ କୋରସ୍‍ ରାଜା ଯିରୂଶାଲମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ; 4 ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ; 5 ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।” 6 “ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ; 7 ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱ ସ୍ଥାନରେ ନିର୍ମାଣ କରନ୍ତୁ। 8 ଆହୁରି, ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ, ଅର୍ଥାତ୍‍, ନଦୀ ସେପାରିସ୍ଥ ରାଜ-କରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। 9 ପୁଣି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ; 10 ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ନିମନ୍ତେ ପ୍ରାର୍ଥନା କରିବେ। 11 ଆହୁରି ମୁଁ ଆଜ୍ଞା କରୁଅଛି ଯେ, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ। 12 ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।” 13 ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ତତ୍ତନୟ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ। 14 ଏଥିରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କର ଓ ଇଦ୍ଦୋର ପୁତ୍ର ଯିଖରୀୟଙ୍କ ଭବିଷ୍ୟଦ୍‍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିରକୁ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ, ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜା କୋରସ୍‍ ଓ ଦାରୀୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ। 15 ଦାରୀୟାବସ ରାଜାର ରାଜତ୍ଵର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା। 16 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦୀତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା-ଉତ୍ସବ ପାଳନ କଲେ। 17 ପୁଣି, ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ ଏକ ଶହ ବୃଷ, ଦୁଇ ଶହ ମେଷ, ଚାରି ଶହ ମେଷଶାବକ ଉତ୍ସର୍ଗ କଲେ; ଆଉ, ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ ବାରଗୋଟି ଛାଗ ଉତ୍ସର୍ଗ କଲେ। 18 ପୁଣି, ସେମାନେ ମୋଶା-ପୁସ୍ତକର ଲିଖନାନୁସାରେ ଯିରୂଶାଲମରେ ପରମେଶ୍ୱରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ। 19 ଏଥିଉତ୍ତାରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ୱର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ। 20 କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ; ସେସମସ୍ତେ ଶୁଚି ହୋଇଥିଲେ; ଏଣୁ ସେମାନେ ବନ୍ଦୀତ୍ୱର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ-ଭ୍ରାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ। 21 ଆଉ, ବନ୍ଦୀତ୍ୱର ପୁନରାଗତ ଇସ୍ରାଏଲ-ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ, ସେସମସ୍ତେ ଭୋଜନ କଲେ। 22 ପୁଣି, ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱର, ପରମେଶ୍ୱରଙ୍କ ଗୃହକାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ।

< ଏଜ୍ରା 6 >