< ଦ୍ବିତୀୟ ବଂଶାବଳୀ 1 >

1 ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ।
And strengthen himself doth Solomon son of David over his kingdom, and Jehovah his God [is] with him, and maketh him exceedingly great.
2 ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।
And Solomon saith to all Israel, to heads of the thousands, and of the hundreds, and to judges, and to every honourable one of all Israel, heads of the fathers,
3 ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।
and they go — Solomon, and all the assembly with him — to the high place that [is] in Gibeon, for there hath been God's tent of meeting, that Moses, servant of Jehovah, made in the wilderness,
4 ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।
but the ark of God had David brought up from Kirjath-Jearim, when David prepared for it, for he stretched out for it a tent in Jerusalem;
5 ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।
and the altar of brass that Bezaleel son of Uri, son of Hur made, he put before the tabernacle of Jehovah; and Solomon and the assembly seek to it.
6 ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
And Solomon goeth up thither, on the altar of brass, before Jehovah, that [is] at the tent of meeting, and causeth to ascend upon it a thousand burnt-offerings.
7 ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।”
In that night hath God appeared to Solomon, and saith to him, 'Ask — what do I give to thee?'
8 ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।
And Solomon saith to God, 'Thou hast done with David my father great kindness, and hast caused me to reign in his stead.
9 ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।
Now, O Jehovah God, is Thy word with David my father stedfast, for Thou hast caused me to reign over a people numerous as the dust of the earth;
10 ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?”
now, wisdom and knowledge give to me, and I go out before this people, and I come in, for who doth judge this Thy great people?'
11 ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;
And God saith to Solomon, 'Because that this hath been with thy heart, and thou hast not asked riches, wealth, and honour, and the life of those hating thee, and also many days hast not asked, and dost ask for thyself wisdom and knowledge, so that thou dost judge My people over which I have caused thee to reign —
12 ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”
the wisdom and the knowledge is given to thee, and riches and wealth and honour I give to thee, that there hath not been so to the kings who [are] before thee, and after thee it is not so.'
13 ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।
And Solomon cometh in [from] the high place that [is] in Gibeon to Jerusalem, from before the tent of meeting, and reigneth over Israel,
14 ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
and Solomon gathereth chariots and horsemen, and he hath a thousand and four hundred chariots, and twelve thousand horsemen, and he placeth them in the cities of the chariots, and with the king in Jerusalem.
15 ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
And the king maketh the silver and the gold in Jerusalem as stones, and the cedars he made as sycamores that [are] in the low country, for abundance.
16 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
And the source of the horses that [are] to Solomon [is] from Egypt and from Keva; merchants of the king from Keva take at a price,
17 ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହି ସବୁ ଅଣାଯିବାର ରୀତି ଥିଲା।
and they come up, and bring out from Egypt a chariot for six hundred silverlings, and a horse for fifty and a hundred, and so for all the kings of the Hittites, and the kings of Aram — by their hand they bring out.

< ଦ୍ବିତୀୟ ବଂଶାବଳୀ 1 >