< କରିନ୍ଥୀୟ 2 >

1 ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ। 2 କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି। 3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି; 4 ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, 5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା। 6 ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, (aiōn g165) 7 ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। (aiōn g165) 8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; (aiōn g165) 9 କିନ୍ତୁ ଯେପରି ଲେଖାଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।” 10 କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି। 11 କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ବରଙ୍କ ବିଷୟସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। 12 ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ। 13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ। 14 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। 15 ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ। 16 ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।

< କରିନ୍ଥୀୟ 2 >