< ଗୀତସଂହିତା 8 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଆମ୍ଭମାନଙ୍କର ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। 2 ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ ଆପଣା ବିପକ୍ଷଗଣ ସକାଶୁ ଶିଶୁ ଓ ଦୁଗ୍ଧପୋଷ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ। 3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ, ) 4 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ? ଓ ମାନବଜାତି କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ? 5 ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। 6 ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ; 7 ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ; 8 ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ। 9 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ।

< ଗୀତସଂହିତା 8 >