< ଗୀତସଂହିତା 102 >

1 ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। 2 ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ। 3 କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ। 4 ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ। 5 ମୋହର ହାହାକାର ଶବ୍ଦ ସକାଶୁ ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ। 6 ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି। 7 ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି; 8 ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି। 9 କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି। 10 ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ। 11 ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି। 12 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ। 13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ। 14 ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି। 15 ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ। 16 କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି; 17 ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି। 18 ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ। 19 କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ; 20 ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ; 21 ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ, 22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ; 23 ସଦାପ୍ରଭୁ ଜୀବନର ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ। 24 ମୁଁ କହିଲି, “ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।” 25 ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ। 26 ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ। 27 ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ। 28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।

< ଗୀତସଂହିତା 102 >