< ଯିରିମୀୟ 25 >

1 ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ସେହି ବର୍ଷ ବାବିଲର ରାଜା ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ପ୍ରଥମ ବର୍ଷ ଥିଲା;
The word that came to Jeremiah concerning all the people of Judah, in the fourth year of Jehoiakim the son of Josiah, king of Judah (the same was the first year of Nebuchadnezzar king of Babylon),
2 ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ନିକଟରେ ସେହି ବାକ୍ୟ ପ୍ରଚାର କରି କହିଲେ;
which Jeremiah the prophet spoke to all the people of Judah, and to all the inhabitants of Jerusalem, saying:
3 “ଆମୋନ୍‍ର ପୁତ୍ର ଯିହୁଦାର ରାଜା ଯୋଶୀୟଙ୍କ ରାଜତ୍ଵର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ ବର୍ଷଯାକ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହୋଇଅଛି ଓ ମୁଁ ପ୍ରତ୍ୟୁଷରେ ଉଠି ତାହା ତୁମ୍ଭମାନଙ୍କୁ କହିଅଛି, ମାତ୍ର ତାହା ତୁମ୍ଭେମାନେ ଶୁଣି ନାହଁ।
"From the thirteenth year of Josiah the son of Amon, king of Judah, even to this day, these twenty-three years, the word of YHWH has come to me, and I have spoken to you, rising up early and speaking; but you have not listened.
4 ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।
YHWH has sent to you all his servants the prophets, rising up early and sending them (but you have not listened, nor inclined your ear to hear)
5 ମୁଁ କହିଅଛି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଆଚରଣର ଦୁଷ୍ଟତାରୁ ଫେର, ତହିଁରେ ସଦାପ୍ରଭୁ ପୁରାତନ କାଳରୁ ସଦାକାଳ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁ ମଧ୍ୟରେ ତୁମ୍ଭେମାନେ ବାସ କରିବ;
saying, 'Return now everyone from his evil way, and from the evil of your doings, and dwell in the land that YHWH has given to you and to your fathers, from of old and even forevermore;
6 ଆଉ, ଅନ୍ୟ ଦେବଗଣର ସେବା ଓ ସେମାନଙ୍କୁ ପ୍ରଣାମ କରିବା ନିମନ୍ତେ ସେମାନଙ୍କ ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ମୋତେ ବିରକ୍ତ କର ନାହିଁ ଓ ତହିଁରେ ମୁଁ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବି ନାହିଁ।’
and do not go after other gods to serve them or worship them, and do not provoke me to anger with the work of your hands; and I will do you no harm.
7 ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ କଥାରେ ଅବଧାନ କରି ନାହଁ ଓ ଆପଣାମାନଙ୍କ ଅମଙ୍ଗଳ ନିମନ୍ତେ ନିଜ ହସ୍ତକୃତ କର୍ମ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କରିଅଛ।
Yet you have not listened to me,' says YHWH; 'that you may provoke me to anger with the work of your hands to your own hurt.'
8 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟରେ ଅବଧାନ କରି ନାହଁ;
Therefore thus says YHWH of hosts: 'Because you have not heard my words,
9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍‍ ଶବ୍ଦର ବିଷୟ ଓ ଚିରକାଳର ଉତ୍ସନ୍ନ ସ୍ଥାନ କରିବା।
look, I will send and take all the families of the north,' says YHWH, 'and I will send to Nebuchadnezzar the king of Babylon, my servant, and will bring them against this land, and against its inhabitants, and against all these nations around; and I will utterly destroy them, and make them an astonishment, and a hissing, and perpetual desolations.
10 ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରର ରବ ଓ କନ୍ୟାର ରବ, ଚକିର ଶବ୍ଦ ଓ ପ୍ରଦୀପର ଆଲୁଅ ଦୂର କରିବା।
Moreover I will take from them the voice of mirth and the voice of gladness, the voice of the bridegroom and the voice of the bride, the sound of the millstones, and the light of the lamp.
11 ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ୱ କରିବେ।
This whole land shall be a desolation, and an astonishment; and these nations shall serve the king of Babylon seventy years.
12 ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।
It shall happen, when seventy years are accomplished, that I will punish the king of Babylon, and that nation, says YHWH, for their iniquity, and the land of the Chaldeans; and I will make it desolate forever.
13 ଆଉ, ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଅର୍ଥାତ୍‍, ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମୀୟଙ୍କ ଦ୍ୱାରା ପ୍ରଚାରିତ ଯେ ଯେ ଭବିଷ୍ୟଦ୍‍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ଆମ୍ଭେ ସେହି ଦେଶ ପ୍ରତି ସଫଳ କରିବା।
I will bring on that land all my words which I have pronounced against it, even all that is written in this scroll, which Jeremiah has prophesied against all the nations.
14 କାରଣ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ସେମାନଙ୍କୁ ହିଁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ, ଆଉ ଆମ୍ଭେ ସେମାନଙ୍କ କ୍ରିୟାନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”
For many nations and great kings shall make bondservants of them, even of them; and I will recompense them according to their deeds, and according to the work of their hands.'"
15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋତେ ଏହି କଥା କହନ୍ତି, “ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ।
For thus says YHWH, the God of Israel, to me: "Take this cup of the wine of wrath at my hand, and cause all the nations, to whom I send you, to drink it.
16 ତହିଁରେ ସେମାନେ ତାହା ପାନ କରି ଏଣେତେଣେ ଟଳଟଳ ହେବେ, ପୁଣି ଆମ୍ଭେ ସେମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ସକାଶୁ ସେମାନେ ଉନ୍ମତ୍ତ ହେବେ।”
They shall drink, and reel back and forth, and be mad, because of the sword that I will send among them."
17 ତହିଁରେ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ସଦାପ୍ରଭୁ ମୋତେ ଯେଉଁ ଯେଉଁ ଗୋଷ୍ଠୀ ନିକଟକୁ ପଠାଇଲେ, ସେହି ସମସ୍ତଙ୍କୁ ତାହା ପାନ କରାଇଲି;
Then took I the cup at YHWH's hand, and made all the nations to drink, to whom YHWH had sent me:
18 ଅର୍ଥାତ୍‍, ଆଜିର ତୁଲ୍ୟ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର, ଆଉ ଶୀସ୍‍ ଶବ୍ଦର ଓ ଅଭିଶାପର ବିଷୟ ହେବା ନିମନ୍ତେ ଯିରୂଶାଲମକୁ, ଯିହୁଦାର ନଗରସମୂହକୁ, ଆଉ ତହିଁର ରାଜା ଓ ଅଧିପତିମାନଙ୍କୁ ପାନ କରାଇଲି।
Jerusalem, and the cities of Judah, and its kings, and its officials, to make them a desolation, an astonishment, a hissing, and a curse, as it is this day;
19 ମିସରର ରାଜା ଫାରୋକୁ, ତାହାର ଦାସଗଣକୁ ଓ ଅଧିପତିଗଣକୁ ଓ ତାହାର ସମସ୍ତ ଲୋକଙ୍କୁ;
Pharaoh king of Egypt, and his servants, and his officials, and all his people;
20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;
and all the mixed people, and all the kings of the land of the Uz, and all the kings of the Philistines, and Ashkelon, and Gaza, and Ekron, and the remnant of Ashdod;
21 ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ;
Edom, and Moab, and the people of Ammon;
22 ପୁଣି, ସୋରର ସମସ୍ତ ରାଜାଙ୍କୁ ଓ ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ;
and all the kings of Tyre, and all the kings of Sidon, and the kings of the isle which is beyond the sea;
23 ଦଦାନ, ତେମା ଓ ବୂଷ୍‍, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ସମସ୍ତ ଲୋକଙ୍କୁ;
Dedan, and Tema, and Buz, and all who have the corners of their beard cut off;
24 ପୁଣି, ଆରବୀୟ ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ;
and all the kings of Arabia, [and all the kings of the mixed people] who dwell in the wilderness;
25 ଆଉ, ସିମ୍ରିର ସମସ୍ତ ରାଜାଙ୍କୁ, ଏଲମ୍‍ର ସମସ୍ତ ରାଜାଙ୍କୁ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ;
and all the kings of Zimri, and all the kings of Elam, and all the kings of the Medes;
26 ପୁଣି, ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ଯାବତୀୟ ରାଜାଙ୍କୁ, ପରସ୍ପରର ସହିତ ଓ ଭୂମଣ୍ଡଳର ଉପରିସ୍ଥ ଜଗତର ସମୁଦାୟ ରାଜ୍ୟକୁ ପାନ କରାଇଲି; ଆଉ, ସେମାନଙ୍କ ଉତ୍ତାରେ ଶେଶକର ରାଜା ପାନ କରିବ।
and all the kings of the north, far and near, one with another; and all the kingdoms of the world, which are on the surface of the earth: and the king of Sheshach shall drink after them.
27 ଆଉ, ତୁମ୍ଭେ ସେମାନଙ୍କୁ କହିବ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ହେତୁ ପତିତ ହୋଇ ଆଉ ଉଠ ନାହିଁ।’
"You shall tell them, 'Thus says YHWH of hosts, the God of Israel: "Drink, and be drunk, vomit, fall, and rise no more, because of the sword which I will send among you."'
28 ଆଉ, ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିରୂପେ କଥା କହନ୍ତି, ତୁମ୍ଭେମାନେ ଅବଶ୍ୟ ପାନ କରିବ।
It shall be, if they refuse to take the cup at your hand to drink, then you shall tell them, 'Thus says YHWH of hosts: "You shall surely drink.
29 କାରଣ ଦେଖ, ଆମ୍ଭେ ଆମ୍ଭ ନାମରେ ଖ୍ୟାତ ନଗର ପ୍ରତି ଅମଙ୍ଗଳ ଘଟାଇବାକୁ ଆରମ୍ଭ କରିଅଛୁ ଓ ତୁମ୍ଭେମାନେ କି ନିତାନ୍ତ ଅଦଣ୍ଡିତ ହେବ? ତୁମ୍ଭେମାନେ ଅଦଣ୍ଡିତ ହେବ ନାହିଁ, କାରଣ ଆମ୍ଭେ ପୃଥିବୀନିବାସୀ ସମସ୍ତଙ୍କ ଉପରେ ଖଡ୍ଗ ଆହ୍ୱାନ କରିବା,’ ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
For, look, I begin to work evil at the city which is called by my name; and should you be utterly unpunished? You shall not be unpunished; for I will call for a sword on all the inhabitants of the earth,"' says YHWH of hosts.
30 ଏହେତୁ ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ‘ସଦାପ୍ରଭୁ ଊର୍ଦ୍ଧ୍ୱରୁ ହୁଙ୍କାର କରିବେ ଓ ଆପଣା ପବିତ୍ର ବାସସ୍ଥାନରୁ ଆପଣା ରବ ଶୁଣାଇବେ; ସେ ଆପଣା ଖୁଆଡ଼ ଉପରେ ମହାହୁଙ୍କାର କରିବେ; ସେ ଦ୍ରାକ୍ଷାମର୍ଦ୍ଦନକାରୀମାନଙ୍କ ପରି ପୃଥିବୀର ନିବାସୀ ସମୁଦାୟଙ୍କ ବିରୁଦ୍ଧରେ ସିଂହନାଦ କରିବେ।
Therefore prophesy you against them all these words, and tell them, 'YHWH will roar from on high, and utter his voice from his holy habitation; he will mightily roar against his fold; he will give a shout, as those who tread grapes, against all the inhabitants of the earth.
31 ପୃଥିବୀର ସୀମା ପର୍ଯ୍ୟନ୍ତ ଗୋଟିଏ ଧ୍ୱନି ବ୍ୟାପିବ; କାରଣ ନାନା ଗୋଷ୍ଠୀୟମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି, ସେ ସବୁ ପ୍ରାଣୀର ବିଚାର କରିବେ; ପୁଣି, ଦୁଷ୍ଟମାନଙ୍କୁ ସେ ଖଡ୍ଗରେ ସମର୍ପଣ କରିବେ,’ ଏହା ସଦାପ୍ରଭୁ କହନ୍ତି।
A noise shall come even to the remotest parts of the earth; for YHWH brings charges against the nations; he will enter into judgment with all flesh: as for the wicked, he will give them to the sword,' says YHWH.
32 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ ଓ ପୃଥିବୀର ପ୍ରାନ୍ତ ସୀମାରୁ ଏକ ମହାତୋଫାନ ଉଠିବ।
'Thus says YHWH of hosts, 'Look, evil shall go forth from nation to nation, and a great storm shall be raised up from the uttermost parts of the earth.'
33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।
The slain of YHWH shall be on that day from all areas of the earth. They shall not be lamented, neither gathered, nor buried; they shall be dung on the surface of the ground.
34 ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ହେ ମେଷଗଣର ଅଗ୍ରଗଣ୍ୟମାନେ, ତୁମ୍ଭେମାନେ ଭସ୍ମରେ ଗଡ଼; କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହେଲା, ଆଉ ଆମ୍ଭେ ତୁମ୍ଭମାନଙ୍କୁ ଖଣ୍ଡ ଖଣ୍ଡ କରି ଭାଙ୍ଗିବା ଓ ତୁମ୍ଭେମାନେ ମନୋହର ପାତ୍ର ତୁଲ୍ୟ ପଡ଼ିଯିବ।
Wail, you shepherds, and cry; and wallow in dust, you principal of the flock; for the days of your slaughter and of your dispersions are fully come, and you shall fall like a goodly vessel.
35 ପୁଣି, ମେଷପାଳକମାନେ ପଳାଇବାର ବାଟ ପାଇବେ ନାହିଁ ଓ ପଲର ଅଗ୍ରଗଣ୍ୟମାନେ ରକ୍ଷା ପାଇବେ ନାହିଁ।
The shepherds shall have no way to flee, nor the principal of the flock to escape.
36 ମେଷପାଳକମାନଙ୍କର କ୍ରନ୍ଦନର ଶବ୍ଦ ଓ ମେଷର ଅଗ୍ରଗଣ୍ୟମାନଙ୍କର ହାହାକାର ଶବ୍ଦ ଶୁଣାଯାଏ। କାରଣ ସଦାପ୍ରଭୁ ସେମାନଙ୍କର ଚରାସ୍ଥାନ ଉଜାଡ଼ କରୁଅଛନ୍ତି।
A voice of the cry of the shepherds, and the wailing of the principal of the flock. For YHWH lays waste their pasture.
37 ଆଉ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଶାନ୍ତିଯୁକ୍ତ ଖୁଆଡ଼ସବୁ ନିଃଶବ୍ଦ ହେଉଅଛି।
The peaceable folds are brought to silence because of the fierce anger of YHWH.
38 ସେ ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି; ତାହାଙ୍କର ଉତ୍ପୀଡ଼କ ଖଡ୍ଗର ଭୟଙ୍କରତା ସକାଶୁ ଓ ତାହାଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଦେଶ ବିସ୍ମୟ ସ୍ଥାନ ହୋଇଅଛି।”
He has left his covert, as the lion; for their land has become an astonishment, because of the sword of the oppressor, and because of his fierce anger."

< ଯିରିମୀୟ 25 >