< ଯିଶାଇୟ 43 >

1 ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର। 2 ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ। 3 କାରଣ ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ; ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିସର ଓ ତୁମ୍ଭ ପରିବର୍ତ୍ତେ କୂଶ ଓ ସବା ଦେଶ ଦେଇଅଛୁ। 4 ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ; ଏହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା। 5 ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ଆମ୍ଭେ ପୂର୍ବ ଦିଗରୁ ତୁମ୍ଭ ବଂଶକୁ ଆଣିବା ଓ ପଶ୍ଚିମ ଦିଗରୁ ତୁମ୍ଭକୁ ସଂଗ୍ରହ କରିବା; 6 ଆମ୍ଭେ ଉତ୍ତର ଦିଗକୁ କହିବା, ‘ଛାଡ଼ିଦିଅ’ ଓ ଦକ୍ଷିଣ ଦିଗକୁ କହିବା, ‘ଅଟକାଇ ରଖ ନାହିଁ;’ ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ; 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।” 8 ଚକ୍ଷୁ ଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର, ଏହି ଲୋକଙ୍କୁ ବାହାର କରି ଆଣ। 9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ। 10 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। 11 ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ। 12 ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13 “ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?” 14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍‍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା। 15 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।” 16 ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି; 17 ଯେ ରଥ ଓ ଅଶ୍ୱ, ସୈନ୍ୟ ଓ ବୀରଗଣକୁ ବାହାର କରି ଆଣନ୍ତି; ସେମାନେ ଏକତ୍ର ତଳେ ଶୋଇ ଆଉ ଉଠିବେ ନାହିଁ, ସେମାନେ ଲୁପ୍ତ ଓ ଛଣପଟ ପରି ଲିଭିଯାʼନ୍ତି; ସେହି ସଦାପ୍ରଭୁ ଏହି କଥା କହନ୍ତି; 18 “ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ। 19 ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ-ନଦୀ କରିବା। 20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦ-ନଦୀ ଯୋଗାଉ; 21 ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ। 22 ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ବିଷୟରେ କ୍ଳାନ୍ତ ହୋଇଅଛ। 23 ତୁମ୍ଭେ ଆପଣା ହୋମାର୍ଥକ ମେଷାଦି ଆମ୍ଭ ନିକଟକୁ ଆଣି ନାହଁ; କିଅବା ତୁମ୍ଭେ ଆପଣା ବଳିଦାନ ଦ୍ୱାରା ଆମ୍ଭର ସମାଦର କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ୍ୟକର୍ମ କରାଇ ନାହୁଁ; କିଅବା କୁନ୍ଦୁରୁ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରାଇ ନାହୁଁ। 24 ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ। 25 ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ। 26 ଆମ୍ଭଙ୍କୁ ସ୍ମରଣ କରାଅ; ଆମ୍ଭେମାନେ ପରସ୍ପରର ବିଚାର କରୁ; ତୁମ୍ଭେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା କଥା କୁହ। 27 ତୁମ୍ଭର ଆଦିପିତା ପାପ କଲା ଓ ତୁମ୍ଭର ମଧ୍ୟସ୍ଥିମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି। 28 ଏନିମନ୍ତେ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା, ଆମ୍ଭେ ଯାକୁବକୁ ଅଭିଶାପ ଓ ଇସ୍ରାଏଲକୁ ନିନ୍ଦାପାତ୍ର କରିବା।

< ଯିଶାଇୟ 43 >