< ଯିଶାଇୟ 17 >

1 ଦମ୍ମେଶକ ବିଷୟକ ଭାବବାଣୀ। ଦେଖ, ଦମ୍ମେଶକ ଆଉ ନଗର ନ ହୋଇ ଦୂରୀକୃତ ହୋଇଅଛି, ତାହା କାନ୍ଥଡ଼ାର ଢ଼ିପି ହେବ। 2 ଅରୋୟରର ନଗରସବୁ ପରିତ୍ୟକ୍ତ ହୋଇଅଛି; ସେହି ସବୁ ପଶୁପଲର ପାଇଁ ହେବ, ସେମାନେ ସେଠାରେ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ। 3 ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦମ୍ମେଶକରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସବୁ ଇସ୍ରାଏଲ-ସନ୍ତାନଗଣର ଗୌରବ ତୁଲ୍ୟ ହେବ। 4 ଆଉ, ସେହି ଦିନରେ ଯାକୁବର ଗୌରବ ହ୍ରାସ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ; 5 ଆଉ, ଯେପରି ଶସ୍ୟ କାଟିବା ଲୋକ କ୍ଷେତ୍ରସ୍ଥ ଶସ୍ୟ ସଂଗ୍ରହ କରିବା ବେଳେ ଓ ତାହାର ହସ୍ତ ଶିଷା କାଟିବା ବେଳେ, କିଅବା ଯେପରି କେହି ରଫାୟୀମ ତଳଭୂମିରେ ପତିତ ଶିଷା ସାଉଣ୍ଟିବା ବେଳେ ହୁଏ, ସେହିପରି ହେବ। 6 ତଥାପି ଜୀତବୃକ୍ଷର ଫଳ ଝାଡ଼ି ନେଲା ଉତ୍ତାରେ ଯେପରି ତାହାର ଉଚ୍ଚତମ ଶାଖାରେ ଦୁଇ ତିନି ଗୋଟା ଫଳ ଓ ଫଳବାନ ବୃକ୍ଷର ବାହାରସ୍ଥ ଶାଖାରେ ଚାରି ପାଞ୍ଚ ଗୋଟା ଫଳ ଥାଏ, ସେହିପରି ତାହାର କିଛି ଅବଶିଷ୍ଟ ରହିବ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି। 7 ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ। 8 ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ। 9 ସେହି ଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ-ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ। 10 କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ୱରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ୱରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ; 11 ତୁମ୍ଭେ ରୋପଣ କରିବା ଦିନ ତହିଁର ଚାରିଆଡ଼େ ବାଡ଼ ଦେଉଅଛ ଓ ପ୍ରାତଃକାଳରେ ତୁମ୍ଭେ ଆପଣା ବୀଜକୁ ପୁଷ୍ପିତ କରାଉଅଛ; ମାତ୍ର ଦୁଃଖ ଓ ପ୍ରତିକାରହୀନ ଶୋକ ସମୟରେ ଫଳ ଉଡ଼ିଯାଏ। 12 ଆଃ! ଅନେକ ଗୋଷ୍ଠୀର କୋଳାହଳ, ସେମାନେ ସମୁଦ୍ରର କଲ୍ଲୋଳର ତୁଲ୍ୟ କଲ୍ଲୋଳ ଧ୍ୱନି କରୁଅଛନ୍ତି; ନାନା ଦେଶୀୟଗଣ ମାଡ଼ି ଆସୁଅଛନ୍ତି, ସେମାନେ ପ୍ରବଳ ବଢ଼ି ପରି ମାଡ଼ି ଆସୁଅଛନ୍ତି! 13 ନାନା ଦେଶୀୟଗଣ, ମହାଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ। 14 ଦେଖ, ସନ୍ଧ୍ୟାକାଳେ ତ୍ରାସ ଓ ପ୍ରଭାତର ପୂର୍ବେ ସେମାନେ ନାହାନ୍ତି। ଆମ୍ଭମାନଙ୍କ ଲୁଟିତକାରୀମାନଙ୍କର ଅଂଶ ଓ ଆମ୍ଭମାନଙ୍କ ଅପହରଣକାରୀମାନଙ୍କ ବାଣ୍ଟ ଏହି।

< ଯିଶାଇୟ 17 >