< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 3 >

1 ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍‍ ଭାଗରେ ମେଷପଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ।
Now Moses was keeping the flock of Jethro, his father-in-law, the priest of Midian, and he led the flock to the back of the wilderness, and came to God’s mountain, to Horeb.
2 ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ।
Yahweh’s angel appeared to him in a flame of fire out of the middle of a bush. He looked, and behold, the bush burned with fire, and the bush was not consumed.
3 ତେଣୁ ମୋଶା କହିଲେ, “ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉ ନାହିଁ।”
Moses said, “I will go now, and see this great sight, why the bush is not burned.”
4 ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, “ହେ ମୋଶା, ହେ ମୋଶା।” ତହିଁରେ ସେ କହିଲେ, “ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
When Yahweh saw that he came over to see, God called to him out of the middle of the bush, and said, “Moses! Moses!” He said, “Here I am.”
5 ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।”
He said, “Don’t come close. Take off your sandals, for the place you are standing on is holy ground.”
6 ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।
Moreover he said, “I am the God of your father, the God of Abraham, the God of Isaac, and the God of Jacob.” Moses hid his face because he was afraid to look at God.
7 ଏଥିଉତ୍ତାରେ ସଦାପ୍ରଭୁ କହିଲେ, “ଆମ୍ଭେ ମିସର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଳେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକମାନଙ୍କ କାରଣରୁ ହେଉଥିବା ସେମାନଙ୍କ ରୋଦନ ଶୁଣିଅଛୁ; ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ।
Yahweh said, “I have surely seen the affliction of my people who are in Egypt, and have heard their cry because of their taskmasters, for I know their sorrows.
8 ଏହେତୁ ମିସରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି, ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍‍, କିଣାନୀୟ, ହିତ୍ତୀୟ, ଇମୋରୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥାʼନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବାକୁ ଓହ୍ଲାଇ ଆସିଲୁ।
I have come down to deliver them out of the hand of the Egyptians, and to bring them up out of that land to a good and large land, to a land flowing with milk and honey; to the place of the Canaanite, the Hittite, the Amorite, the Perizzite, the Hivite, and the Jebusite.
9 ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ।
Now, behold, the cry of the children of Israel has come to me. Moreover I have seen the oppression with which the Egyptians oppress them.
10 ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ।”
Come now therefore, and I will send you to Pharaoh, that you may bring my people, the children of Israel, out of Egypt.”
11 ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବି?”
Moses said to God, “Who am I, that I should go to Pharaoh, and that I should bring the children of Israel out of Egypt?”
12 ତହୁଁ ସେ କହିଲେ, “ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି, ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ।”
He said, “Certainly I will be with you. This will be the token to you, that I have sent you: when you have brought the people out of Egypt, you shall serve God on this mountain.”
13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, ‘କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି;’ ପୁଣି, ସେମାନେ ପଚାରିବେ, ‘ତାହାଙ୍କର ନାମ କଅଣ?’ ସେତେବେଳେ ମୁଁ କି ଉତ୍ତର ଦେବି?”
Moses said to God, “Behold, when I come to the children of Israel, and tell them, ‘The God of your fathers has sent me to you,’ and they ask me, ‘What is his name?’ what should I tell them?”
14 ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି।’”
God said to Moses, “I AM WHO I AM,” and he said, “You shall tell the children of Israel this: ‘I AM has sent me to you.’”
15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର, ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’
God said moreover to Moses, “You shall tell the children of Israel this, ‘Yahweh, the God of your fathers, the God of Abraham, the God of Isaac, and the God of Jacob, has sent me to you.’ This is my name forever, and this is my memorial to all generations.
16 ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମ, ଇସ୍‌ହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତ ବିଷୟର ଧ୍ୟାନ ଦେଇଅଛୁ।
Go and gather the elders of Israel together, and tell them, ‘Yahweh, the God of your fathers, the God of Abraham, of Isaac, and of Jacob, has appeared to me, saying, “I have surely visited you, and seen that which is done to you in Egypt.
17 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ମିସରର କ୍ଳେଶରୁ ଉଦ୍ଧାର କରି କିଣାନୀୟମାନଙ୍କ, ହିତ୍ତୀୟମାନଙ୍କ, ଇମୋରୀୟମାନଙ୍କ, ପରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ।’
I have said, I will bring you up out of the affliction of Egypt to the land of the Canaanite, the Hittite, the Amorite, the Perizzite, the Hivite, and the Jebusite, to a land flowing with milk and honey.”’
18 ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ‘ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ।’
They will listen to your voice. You shall come, you and the elders of Israel, to the king of Egypt, and you shall tell him, ‘Yahweh, the God of the Hebrews, has met with us. Now please let us go three days’ journey into the wilderness, that we may sacrifice to Yahweh, our God.’
19 ମାତ୍ର ଆମ୍ଭେ ଜାଣୁ, ମିସରର ରାଜା ତୁମ୍ଭମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ, ପରାକ୍ରାନ୍ତ ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ।
I know that the king of Egypt won’t give you permission to go, no, not by a mighty hand.
20 ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେସକଳ ଆଶ୍ଚର୍ଯ୍ୟକର୍ମ କରିବା; ତଦ୍ଦ୍ୱାରା ମିସରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ।
I will reach out my hand and strike Egypt with all my wonders which I will do among them, and after that he will let you go.
21 ଆଉ ଆମ୍ଭେ ମିସରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବା, ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ଶୂନ୍ୟ ହସ୍ତରେ ଯିବ ନାହିଁ;
I will give this people favor in the sight of the Egyptians, and it will happen that when you go, you shall not go empty-handed.
22 ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ; ପୁଣି, ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିରୂପେ ତୁମ୍ଭେମାନେ ମିସରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”
But every woman shall ask of her neighbor, and of her who visits her house, jewels of silver, jewels of gold, and clothing. You shall put them on your sons, and on your daughters. You shall plunder the Egyptians.”

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 3 >