< ପ୍ରଥମ ଶାମୁୟେଲ 6 >

1 ସଦାପ୍ରଭୁଙ୍କ ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା। 2 ଏଥିରେ ପଲେଷ୍ଟୀୟମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା, କି ଦେଇ ଆମ୍ଭେମାନେ ତାହା ସ୍ୱ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ।” 3 ତହିଁରେ ସେମାନେ କହିଲେ, “ଯେବେ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ; ମାତ୍ର କୌଣସିମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ; ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉ ନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ।” 4 ତହୁଁ ସେମାନେ ପଚାରିଲେ, “ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା?” ଏଥିରେ ସେମାନେ କହିଲେ, “ପଲେଷ୍ଟୀୟମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଶ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣଙ୍କୁ ଏକରୂପ ମହାମାରୀ ଘଟିଥିଲା। 5 ଏନିମନ୍ତେ ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ-ପ୍ରତିମା ଓ ତୁମ୍ଭମାନଙ୍କ ଦେଶନାଶକାରୀ ମୂଷିକ-ପ୍ରତିମା ନିର୍ମାଣ କର ଓ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ, ହୋଇପାରେ ସେ ତୁମ୍ଭମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ। 6 ଯେପରି ମିସରୀୟମାନେ ଓ ଫାରୋ ଆପଣାମାନଙ୍କ ହୃଦୟ ଭାରୀ କରିଥିଲେ, ସେପରି ତୁମ୍ଭେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରୀ କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣା ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ? 7 ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଯୁଆଳି ଲାଗି ନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକୁ ଘରକୁ ଆଣ; 8 ପୁଣି, ସଦାପ୍ରଭୁଙ୍କ ସିନ୍ଦୁକ ନେଇ ସେହି ଶଗଡ଼ ଉପରେ ରଖ ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଦୁକରେ ରଖ; ତହୁଁ ଯିବା ପାଇଁ ତାହା ପଠାଇଦିଅ। 9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।” 10 ତହିଁରେ ଲୋକମାନେ ସେପରି କଲେ; ପୁଣି, ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରିକୁ ଘରେ ବନ୍ଦ କଲେ। 11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ। 12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ। 13 ସେହି ସମୟରେ ବେଥ୍-ଶେମଶର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ; ପୁଣି, ସେମାନେ ଅନାଇ ସିନ୍ଦୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ। 14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। 15 ପୁଣି, ଲେବୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଦୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ; ଆଉ ବେଥ୍-ଶେମଶର ଲୋକମାନେ ସେହି ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ। 16 ତହୁଁ ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ। 17 ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଶ ପଠାଇଥିଲେ; ଯଥା, ଅସ୍ଦୋଦ ପାଇଁ ଏକ, ଘସା ପାଇଁ ଏକ, ଅସ୍କିଲୋନ ପାଇଁ ଏକ, ଗାଥ୍‍ ପାଇଁ ଏକ, ଇକ୍ରୋଣ ପାଇଁ ଏକ; 18 ପୁଣି, ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯହିଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ରଖିଥିଲେ, ସେପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର-ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟୀୟମାନଙ୍କ ନଗରସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ। 19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ। 20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?” 21 ତହୁଁ ସେମାନେ କିରୀୟଥ୍‍-ଯିୟାରୀମୀୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଆସି ଆପଣାମାନଙ୍କ ନିକଟକୁ ତାହା ନେଇଯାଅ।”

< ପ୍ରଥମ ଶାମୁୟେଲ 6 >