< ପ୍ରଥମ ବଂଶାବଳୀ 18 >

1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଓ ତହିଁର ଉପନଗରସକଳ ହରଣ କଲେ। 2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। 3 ଆହୁରି ସୋବାର ରାଜା ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍‍ ପର୍ଯ୍ୟନ୍ତ ପରାସ୍ତ କଲେ। 4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ; 5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦଦେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ। 6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ। 7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ। 8 ପୁଣି, ଦାଉଦ ହଦଦେଷରର ଅଧିକାରସ୍ଥ ଟିଭତ୍‍ ଓ କୂନ୍‍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ। 9 ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍‍ର ରାଜା ତୟି ଶୁଣନ୍ତେ, 10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ପାଇଁ ଓ ହଦଦେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା। 11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। 12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା। 13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ। 14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ। 15 ପୁଣି, ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା। 16 ପୁଣି, ଅହୀଟୂବ୍‍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ଆଉ, ଶାବ୍ଶା ଲେଖକ ଥିଲା। 17 ପୁଣି, ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।

< ପ୍ରଥମ ବଂଶାବଳୀ 18 >